Jump to content

ଦୀପାବଳୀ

ଉଇକିପିଡ଼ିଆ‌ରୁ
(ଦୀପାବଳିରୁ ଲେଉଟି ଆସିଛି)
ଦୀପାବଳି
ରଙ୍ଗୋଲି ସାଜସଜ୍ଜା ସହ ଦୀପାବଳିରେ ଜଳୁଥିବା ମାଟି ନିର୍ମିତ ଦୀପ
ଅନ୍ୟ ନାମଆଲୋକର ଉତ୍ସବ, ଆଲୋକର ପର୍ବ , ଦିୱାଲି
ପାଳନକାରୀହିନ୍ଦୁ, ବୌଦ୍ଧ, ଜୈନଶିଖ ଧର୍ମାବଲମ୍ବୀ
ପ୍ରକାରଧାର୍ମିକ, ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନାମ, ମାଲେସିଆ, ସିଙ୍ଗାପୁର, ଓ ଫିଜି (ଏହି ଦେଶମାନଙ୍କରେ ଜାତୀୟ ଛୁଟିଦିନ ଭାବରେ ଘୋଷିତ)
ପାଳନଘରକୁ ଅଲୋକମାଳାରେ ସଜାଇବା, ବାଣ ଫୁଟାଇବା, ମିଠା ଓ ଉପହାର ବାଣ୍ଟିବା
ପର୍ବ ପାଳନପ୍ରାର୍ଥନା, ଧାର୍ମିକ ପାଳନ (ପୂଜା, ପ୍ରସାଦ)
ତାରିଖହିନ୍ଦୁ ସୂର୍ଯ୍ୟ ପଞ୍ଜିକା ଅନୁସାରେ ସ୍ଥିର କରାଯାଇଥାଏ
୨୦୨୩ ତାରିଖ୧୨ ନଭମ୍ବର
୨୦୨୪ ତାରିଖ୧ ନଭେମ୍ବର

ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।

ଉତ୍ପତ୍ତି

[ସମ୍ପାଦନା]

ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।

'ଅନଳ ଦେଖିଣ ପତଙ୍ଗ ଧାବନ୍ତି ହୋଇ ଉଦବେଗ ।'

ଅମଳ ଋତୁ ଉପନୀତ ହୁଅନ୍ତେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । []

ବିଭିନ୍ନ ସମ୍ପ୍ରଦାୟରେ ଧାର୍ମିକ ବିଶ୍ୱାସ ଓ ପାଳନ ତାତ୍ପର୍ଯ୍ୟ

[ସମ୍ପାଦନା]

ଜୈନ ଅନୁଗାମୀମାନଙ୍କ ପାଇଁ ଏହା ୫୨୭ରେ ମହାବୀର ଙ୍କର ମୋକ୍ଷ ବା ନିର୍ବାଣ ପ୍ରାପ୍ତିର ଦିନ ଭାବରେ ପାଳନ କରାଯାଇଥାଏ ।[]

  • ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିବୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେବ, ଏହା ହିଁ ସେମାନେ ଚିନ୍ତାକଲେ । ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ମଶାଲ ଜଳାଇ ଦିବ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହିଦିନରୁ ଦୀପାବଳି ଦିନ ଆଲୋକ ଜଳେବାର ଚାଳିଆସୁଛି । []
  • ଖ୍ରୀଷ୍ଟପୂର୍ବ ୫୨୭ରେ ମହାବୀରଙ୍କୁ ଏହିଦିନରେ ନିର୍ବାଣ ପ୍ରାପ୍ତି ହୋଇଥିଲା । ସେହିଦିନକୁ ସ୍ମରଣକରିବା ପାଇଁ ଜୈନମାନେ ଦୀପାବଳି ପାଳନ କରନ୍ତି । ଏହି ଅବସରରେ ଦୀପ ଜଳାଯାଏ ଏବଂ ମିଷ୍ଟାନ୍ନ ବଣ୍ଟାଯାଏ । ଜୈନ ବ୍ୟବସାୟୀମାନେ ହିସାବଖାତା ଏବଂ ମୁଦ୍ରା ପୂଜାକରନ୍ତି । ସେହିବର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରବର୍ତ୍ତୀ ଆଠଦିନ କୌଣସି ବ୍ୟବସାୟ କରନ୍ତି ନାହିଁ । ସେମାନେ ଉପବାସ କରନ୍ତି; ଜପତପ କରନ୍ତି । ନବମଦିନରେ ଜୈନ ନବବର୍ଷ ପାଳିତ ହୁଏ । []
  • ଜୈନ ଧର୍ମାବଲମ୍ବୀଙ୍କ ଭଗବାନ ମହାବୀରଙ୍କ ନିର୍ବାଣପ୍ରାପ୍ତି ଦିବସ ଓ ଭଗବାନ ମହାବୀରଙ୍କ ଉତ୍ତରାଧ୍ୟାୟନ ସୂତ୍ର- ଶେଷପ୍ରବଚନ ପାଠର ମହାର୍ଘ୍ୟତିଥି ଭାବେ ଉତ୍ସାହର ସହିତ ଦୀପାବଳି ଉତ୍ସବ ପାଳନ କରାଯାଏ । []
  • ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଦେବଙ୍କଦ୍ୱାରା ଶିଖ‌ଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢବିରୋଧ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ୱାଗତକରିବା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାବଳିଦିନ କାରାମୁକ୍ତ ହୋଇ ଥିବାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି । ପାରମ୍ପରିକ ଭାବେ ଏହିଦିନରେ ଶିଖ‌ମାନେ ଗୋଇନ୍ଦୱ।ଲ୍ ସାହିବ ଗୁରୁଦ୍ୱାରକୁ ତୀର୍ଥକରି ଯାଆନ୍ତି । [][]
  • ଏହିଦିନଟିକୁ ଶିଖ‌ମାନଙ୍କ ପାଇଁ ଷଷ୍ଠଧର୍ମଗୁରୁଙ୍କ ସଂସ୍କରଣ ବନ୍ଦୀଛୋଡ୍ ଦିବସ ରୂପେ ପାଳନକରାଯାଏ ।

ଦୀପାବଳୀ ଓ ଦେବୀପୂଜା

[ସମ୍ପାଦନା]

ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମା କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ ।

ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳୀ ଲକ୍ଷ୍ମୀ ପୂଜାର ସମୟ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହା ଏହି ସବୁ ଅଞ୍ଚଳରେ ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ ।

କିମ୍ବଦନ୍ତୀ

[ସମ୍ପାଦନା]

କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟାଅମାବାସ୍ୟା କହନ୍ତି ।

ରାମାୟଣ

[ସମ୍ପାଦନା]
  • ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି । []
  • 'ଉତ୍ସବ ତତ୍ତ୍ୱାଭିଧାନ' ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନକରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତାପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡହୋଇଥିଲା । [୧୦]

ଦୈତ୍ୟ ରାଜା ବଳୀ

[ସମ୍ପାଦନା]
  • ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ଏଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା' ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି । [୧୧][୧୨]
  • ଭଗବାନ ବିଷ୍ଣୁ ଭକ୍ତପ୍ରହ୍ଲାଦଙ୍କୁ ଇନ୍ଦ୍ରପଦ ଯାଚିବାରୁ ସେ ବିନୀତଭାବେ ପ୍ରତ୍ୟାଖାନ କରିବାରୁ, ତାଙ୍କର ନାତି ବଳୀରାଜାଙ୍କୁ ଏହିଦିନ 'ଇନ୍ଦ୍ରପଦ' ପ୍ରଦାନ କରିଥିଲେ । ତେଣୁ ଦାନବଗଣ ଦୀପଜଳାଇ, ବାଣ, ଆତସବାଜି ଫୁଟାଇ ଉତ୍ସବ ପାଳିଥିଲେ । [୧୩]
  • ବିରୋଚନ ପୁତ୍ର ବଳି ଇନ୍ଦ୍ର ଓ ମରୁତଗଣଙ୍କୁ ପରାସ୍ତ କରି ତ୍ରିଭୁବନ ଜୟକରି ପ୍ରଜାପାଳନ କରୁଥିଲେ । ଦାନପାଇଁ ସେ ପ୍ରସିଦ୍ଧ ଥିଲେ ଏବଂ ଯେ ଯାହା ମାଗୁଥିଲେ, ତାହା ଦାନ କରୁଥିଲେ । ତାଙ୍କର ବିକ୍ରମ ଓ ଦାନର ପ୍ରଭାବରେ ସେ ଇନ୍ଦ୍ର ଓ ଦେବତାମାନଙ୍କୁ ନିଷ୍ପ୍ରଭ କରିବାକୁ ବସିଲେ । ଏଥିରେ ଇନ୍ଦ୍ର ଓ ଦେବଗଣ ଭୟଭୀତ ହେଲେ । ବଳି ଏକ ପ୍ରସିଦ୍ଧ ଯଜ୍ଞ କଲେ । ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ । ଏହାର ଆଶୁ ନିରାକରଣ ପାଇଁ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବାମନ ରୂପରେ ବଳିଙ୍କଠାରୁ ତିନିଲୋକ ପ୍ରାପ୍ତହେଲେ । ଦାନପ୍ରଦାନ ଛଳରେ ମାୟାବୀବିଷ୍ଣୁ ଗର୍ବୀବଳିଙ୍କୁ ତୃତୀୟପାଦରେ ପାତାଳ ଚାପି ଦେଲେ । କଥା ଦେଲେ ଯେ ବଳି ବର୍ଷରେ ଥରେ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ପୃଥ୍ୱୀଲୋକକୁ ଆସିପାରିବ । ତାଙ୍କ ଆଗମନରେ ଭୂଲୋକବାସୀ ଆନନ୍ଦ ଉଲ୍ଲାସରେ ପ୍ରଦୀପ ଜାଳି ତାଙ୍କୁ ସମ୍ବର୍ଦ୍ଧିତ କରିବେ । ସେହି ଆଲୋକ ସମ୍ବର୍ଦ୍ଧନା କାଳକ୍ରମେ ଦୀପାବଳି ଉତ୍ସବରେ ରୂପାନ୍ତରିତ ହେଲା । [୧୪][୧୫]

ଶ୍ରୀକୃଷ୍ଣ ଓ ନରକାସୁର

[ସମ୍ପାଦନା]
  • ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଈବାର ପ୍ରଥା ଅଛି ।[୧୬][୧୭][୧୮]
  • ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । [୧୯]

ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ ।

ଇତିହାସ

[ସମ୍ପାଦନା]
  • ମୋଗଲ ଯୁଗର ପ୍ରସିଦ୍ଧଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳି ଆଧାରିତ ମନୋଜ୍ଞ ଉପକଥାର ଉଲ୍ଲେଖ କରିଛନ୍ତି । ଆଲବରୁଣୀରେ ମୋଗଲ ସମ୍ରାଟଙ୍କ ଲମ୍ବା ବାଉଁଶ ପୋତି ତା'ର ଅଗରେ ଶିକାରେ ଆକାଶପ୍ରଦୀପ ଜାଳିବାକଥା ବରୋଦା ସଂଗ୍ରହାଳୟରେ ରଖାଯାଇଥିବା ପ୍ରାଚୀନ ଆକାଶପ୍ରଦୀପ ଅତୀତରେ ଦୀପାବଳି ପାଳନ କରାଯାଉଥିବାର ପ୍ରମାଣ ଦିଏ ।
  • ଚାଣକ୍ୟ ଓ ଚୋଳବଂଶକାଳୀନ ଉତ୍ସବ ପରମ୍ପରାରେ ଦୀପାବଳିପାଳନ ହେଉଥିବାର କନୌଜବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ନାଗାନନ୍ଦରୁ ଜଣାପଡେ ।
  • ଗୁପ୍ତବଂଶୀୟ ସମ୍ରାଟ ଦ୍ୱିତୀୟଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ, ପବିତ୍ର ଦୀପାବଳି ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା'ର ସ୍ମାରକୀ ରୂପେ ଦୀପାବଳି ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା । [୨୦]

ବିଶେଷ

[ସମ୍ପାଦନା]
ପୟାଶ୍ରାଦ୍ଧ

ଓଡ଼ିଶାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି:

ବଡ଼ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯା',
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଛେ ଗଡ଼ଗଡାଉ ଥା' ।

ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।

ପିତୃ ଲୋକଂ ପରିତାଜ୍ୟ
ଆଗତା ଯେ ମହାଳୟେ
ଇଜ୍ଜ୍ୱଳେ ଜ୍ୟୋତିଷାଂ ମାର୍ଗେ
ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।
[୨୧]

ବିଭିନ୍ନ ସ୍ଥାନରେ ଦୀପାବଳି

[ସମ୍ପାଦନା]

ଦୀପାବଳି ଭାରତ[୨୨], ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ଏକ ସରକାରୀ ଛୁଟିଦିନ ଭାବରେ ଘୋଷିତ ।

ଛବି ସମୂହ

[ସମ୍ପାଦନା]
  1. "Kohinoor Odia Calendar 2022, Kohinoor Odia Panjika 2022". www.odiacalendar.com. Retrieved 2022-10-18.
  2. http://www.bhubaneswarbuzz.com/updates/festivals/diwali-festival-light-rituals-connection-agriculture-odisha
  3. http://www.jainworld.com/education/senior13.asp
  4. ରବିବାର ସମାଜ, ୧୧-୧୭.୧୧.୨୦୧୨
  5. ସମ୍ବାଦ,୧୩.୧୧.୨୦୧୨
  6. ସାପ୍ତାହିକ ସମୟ, ୧୧-୧୭.୧୧.୨୦୧୨
  7. ସମୟ ସାପ୍ତାହିକ, ୧୧- ୧୭.୧୧.୨୦୧୨
  8. ସମ୍ବାଦ, ପୃଷ୍ଠା-୨, ୧୩.୧୧.୨୦୧୨
  9. "ଆର୍କାଇଭ୍ କପି". Archived from the original on 2012-11-17. Retrieved 2012-10-10. {{cite web}}: Cite has empty unknown parameter: |1= (help)
  10. ସମୟ ସାପ୍ତାହିକ, ୧୧ - ୧୭.୧୧.୨୦୧୨
  11. "ଆର୍କାଇଭ୍ କପି". Archived from the original on 2012-11-28. Retrieved 2012-10-10. {{cite web}}: Cite has empty unknown parameter: |1= (help)
  12. http://forumforhinduawakening.org/dharma/blog/balipratipada/[permanent dead link]
  13. ସମୟ, ପୃଷ୍ଠା- ୪, ୧୩.୧୧.୨୦୧୨
  14. ଜାନକୀବଲ୍ଲଭ ପଟ୍ଟନାୟକ, ବାଲ୍ମୀକି କୃତ ରାମାୟଣ, ପୃଷ୍ଠା- ୫୦
  15. ସମୟ ସାପ୍ତାହିକ, ପୃଷ୍ଠା- ୩୩, ଜେନାମଣି ଲକ୍ଷ୍ମୀକାନ୍ତ, ୧୧-୧୭.୧୧.୨୦୧୨
  16. http://festivals.igiftstoindia.com/diwali/history-of-diwali.html
  17. http://www.kidsgen.com/events/diwali/history.htm
  18. "ଆର୍କାଇଭ୍ କପି". Archived from the original on 2014-10-22. Retrieved 2014-10-21. {{cite web}}: Cite has empty unknown parameter: |1= (help)
  19. ନାମଯଜ୍ଞ ମିଶ୍ର, ସମୟ, ପୃଷ୍ଠା- ୪, ୧୩.୧୧.୨୦୧୨
  20. ଜେନାମଣି ଲକ୍ଷ୍ମୀକାନ୍ତ, ସମୟ ସାପ୍ତାହିକ, ପୃଷ୍ଠା- ୩୩, ୧୧-୧୭.୧୧.୨୦୧୨
  21. ପୃ.୫୦ ଶ୍ରୀମନ୍ଦିର ୨୦୦୦
  22. "Indian Government Holiday Calendar". National Portal of India. Retrieved 15 March 2010.